କବିତା // ଗଛ ପରା ରତନ କବୀ -: ଜ୍ୟୋତ୍ସ୍ନାରାଣୀ ଦେବୀ, ବ୍ରହ୍ମପୁର

ଗଛ ପରା ରତନ

ଜ୍ୟୋତ୍ସ୍ନା ରାଣୀ ଦେବୀ

ଚକାଚକା ଭଉଁରୀ
ମାମୁଘର ଚଉଁରୀ
ନିତିନିତି ଗଛମୂଳେ ପାଣି ଦିଏ ଗଉରୀ ।

ଗଛ ଉଠିଉଠିକା
ଫୁଲ ଫୁଟିଫୁଟିକା
ମହମହ ବାସୁଥାଏ ଆମ ଟିକି ବଗିଚା ।

ଖରାବେଳେ ଖୁସିରେ
ଗଛମୂଳେ ବସିରେ
କେତେକେତେ ମଜାଗପ କରୁ ହସିହସିରେ ।

ଫଳେ ଆମ୍ଵ ,ପିଜୁଳି
ଲେମ୍ଵୁ ,ଲଙ୍କା ,କଦଳୀ
କମଳା ଅମୃତଭଣ୍ଡା ପାଚି ରହେ ଓହଳି ।

ଦେଲେ ସାର ପିଡିଆ
ଗଛ ହେବ ବଢିଆ
ତୋଳୁଥିବା ଝୁଡିଝୁଡି କେତେ ଗୁଆ ନଡିଆ ।

ମଲ୍ଲୀ, ହେନା,ସେବତୀ
ଗେଣ୍ଡୁ ,ଜୁଇ, ମାଳତୀ
ଫୁଟି ହସି ବାସୁଥିବେ ଚମ୍ପା ଆଉ କେତକୀ ।

ପ୍ରଜାପତି ବୁଲିବ
ମହୁମାଛି ଫୁଲିବ
ଗୁଣୁଗୁଣୁ ଗୀତ ଗାଇ ଲତାଗଛେ ଝୁଲିବ ।

ପରିବେଶ ଶୋହିବ
ସବୁ ମନ ମୋହିବ
ରୋଗଶୋକ ଦୂରେ ଯିବ ଶୁଦ୍ଧ ବାଆ ବହିବ ।

ଗଛ ପରା ରତନ
ନେବା ଆମେ ଯତନ
ହସିହସି ଦିନ ଯିବ ପୂରାହେବ ସପନ ।

ବ୍ରହ୍ମପୁର, ଗଂଜାମ