#### ଆଜାନ୍ଯାପା ####
**** ବିଦେଶୀ ନାୟକ ****
ଆସ ଏବେ ସବୁ ଭୁଲିଯିବା,
ତମ କଥା ମୋ’ କଥା ସବୁ
ପଛରେ ପକାଇ, ଆଗକୁ ବଢ଼ିବା,
ଆସ ଏବେ ସବୁ ଭୁଲିଯିବା।।
ମୁଁ ଯଦି କରିଛି କିଛି ଭୁଲ୍
ତମେ ବି ତ କମ୍ କରିନାହଁ !
ମୁଁ ତ ନିଜେ ସ୍ଵିକାର କରୁଛି
ତମେ ଯାହା କରି ପାରୁ ନାହଁ !
ଇଏ ତ ତମ ମୋ ଭିତର ଫରକ,
ଚାଲ ସେ ସବୁକୁ,
ଆଜି ସବୁ କବରେ ଥୋଇବା,
ଆସ ଏବେ ସବୁ ଭୁଲିଯିବା।।
ତମେ କହିଲ,
ହାତ ଧରି ଚାଲିବାର ମଜା ହିଁ ଅଲଗା,
ତାପରେ ହିଁ ମୋ ହାତ ବଢ଼େଇଲି,
ତମେ ହାତ ମୁଠେଇ ଧଇଲ,
ହସିଦେଲ, କିଛି କହିଲନି,
ମୁଁ ବୁଝିଲି,
ତମେ ମୋର ଆପଣାର ହେଲ।।
ଏବେ କିନ୍ତୁ,
ବଦଳି ଯାଇଛି ଋତୁ,
ମୁହଁ ମୋଡ଼ି ଆଡ଼େଇ ଯାଉଛି ବସନ୍ତ,
ଆଉ ଚାଳ ମଥାନରୁ ଝରୁନି ଶ୍ରାବଣ
କି ଅବିର ଫିଙ୍ଗୁନି ଅଭିଳଷିତ ଫଗୁଣ,
ସମୟର କବରୀରେ ଅଭିମାନର ଗଜରା
ଆସ, ମୁଁ ତାକୁ ମନେଇ ଦିଏ,
ସଜେଇ ଦିଏ….ମୋ ଇଚ୍ଛାରେ,
ଯେତେ ସବୁ ପିଛିଲା କାହାଣୀକୁ
ନିଜ ନିଜ ଭିତରେ ଭାଗ ବାଣ୍ଟିନେବା,
ଆସ ଏବେ ସବୁ ଭୁଲିଯିବା।।
ସ୍ୱପ୍ନ ଏବେ ଋତୁମତୀ ,
ଋତୁମତୀ ପଳାଶ କୁସୁମ,
ଜଞ୍ଜାଳର ଝଞ୍ଜା ପାଖାପାଖି,
ଆମ ଦରଜାର ଠିକ୍ ସାମ୍ନାରେ,
ଯେଉଁଠି ଥୁଆ ହୋଇଛି କେଉଁ କାଳୁ
ତମ ବିଦଗ୍ଧ ବିଲୋପିତ କାୟାକଳ୍ପ,
ଚାଲ ତାକୁ ନେଇ ଆଶ୍ୱସନାର କାନ୍ଥରେ
ସଜେଇ ଥୋଇବା,
ଆସ ଏବେ ସବୁ ଭୁଲିଯିବା ।।
ଆଜାନ୍ଯାପା ହେଇଗଲା
ତମ ବନ୍ଧୁତ୍ୱର ଦିଆନିଆ
ଭାବ ଓ ଅଭାବ,
ଆଜାନ୍ଯାପା ହେଇଗଲା ମୋ
ସହନଶୀଳତାର ଅସ୍ତ ଅନୁରାଗ,
ଆଜାନ୍ଯାପା ହେଇଗଲା
ତମ ମୋ ଭାଗବଣ୍ଟାର ବିଜ ଗଣିତ,
ସବୁକୁ ସାଇତି ସଜାଡ଼ି
ତମ ପଣତରେ କିଛି ବାନ୍ଧି ଦେବା,
ଆଉ କିଛି ମୋ ବୁକୁଚାରେ
ଓହଳେଇ ଦେବା,
ଆଗକୁ ଚାଲିବା,
ଆସ ଏବେ ସବୁ ଭୁଲିଯିବା।।
// ଦାରିଙ୍ଗବାଡ଼ି, କନ୍ଧମାଳ //
!! ୯୪୩୯୪୩୪୯୮୦ !!
!! ୬୩୭୧୫୮୭୫୬୨ !!