ଏଥର ପଢ଼ନ୍ତୁ ବିଶିଷ୍ଠ କବୟିତ୍ରୀ, ଶବ୍ଦ ଜଗତର ବଳିଷ୍ଠ ବିନ୍ଧାଣୀ ଜ୍ୟୋତ୍ସ୍ନାରାଣୀ ଦେବୀଙ୍କ ଏକ ଭକ୍ତିପୂର୍ଣ୍ଣ ଚମତ୍କାର ଜଣାଣ __” ଶରଣରକ୍ଷଣ”

ଶରଣରକ୍ଷଣ

ଜ୍ୟୋତ୍ସ୍ନା ରାଣୀ ଦେବୀ

ଶରଣରକ୍ଷଣ ଜଗତଜୀବନ
ପତିତପାବନ ହରି
କରୁଣା କିଞ୍ଚିତେ କର ଅବାଞ୍ଛିତେ
ଅରକ୍ଷରେ ରକ୍ଷା କରି ।

ଆହେ କୃପାସିନ୍ଧୁ ଜଗଜ୍ଜନ ବନ୍ଧୁ
ଅନର୍ଯ୍ୟାମୀ ନାରାୟଣ
ବଧିର କାହିଁକି ସଧୀରେ ନ ଆସ
ରଖି ତୁମ ବଡ଼ପଣ ।
କାହିଁକି ନିର୍ଦ୍ଦୟ ହୁଅ ଦୟାମୟ
ଡାକିବି କି ନାମ ଧରି ।
ଶରଣରକ୍ଷଣ.……

ନିଳାଦ୍ରିରେ ବିଜେ କରିଅଛ ସଜେ
ରତ୍ନସିଂହାସନେ ବସି
ବଡ଼ ସିଂହାରରେ ବଡ଼ସିଂହାରୀ ହେ
କେତେ ବେଶ ହୁଅ ହସି ।
ବଡ଼ ବଡ଼ ବୋଲି ତୁଚ୍ଛାଟାରେ ଖାଲି
ପଡୁଛି ତୁମରି ହୁରି ।
ଶରଣରକ୍ଷଣ…

ପତିତ ମରୁଛି ସଢିସଢି ହେଲେ
ଶ୍ରୁତିରେ ତ ପଶୁନାହିଁ
ତୁମ ମେଘନାଦ ଉଦଧି ନିନାଦ
ଯତନେ ଗଢିଛ ସାଇଁ ।
ଗମ୍ଭୀରା ଭିତରେ ରହିଛ ଖୁସିରେ
ଦୁଃଖୀ ପଡେ ସଢିମରି ।
ଶରଣରକ୍ଷଣ….

ଷାଠିଏ ପଉଟି ଛପନ ଭୋଗକୁ
ଆନନ୍ଦେ ବସୁଛ ଭୁଞ୍ଜି
କଳା କଳେବର ନୀଳ ଇନ୍ଦିବର
ଡୋଳାରେ ରହିଛ ରଞ୍ଜି ।
ଅପଲକ ନେତ୍ରେ ପଡୁନି କିପରି
କିଏ ହୁଏ କେତେ ସରି ।
ଶରଣରକ୍ଷଣ….

ଦେବଦାସୀ ସଙ୍ଗ ଲଭି ଶ୍ୟାମଳାଙ୍ଗ
ହର୍ଷିତେ ଚର୍ଚ୍ଚିତ ହୁଅ
ବସି ସୁଖାସନେ ଦୁଃଖ ମୋ ଦେଖୁଛ
ମୁଁ କି ତୁମରି ନୁହଁ ।
ଡାକି ଡାକି କଣ୍ଠ ଗଲାଣି ହେ ଶୁଖି
କି ନାମେ ଅର୍ଚ୍ଚିବି ବରି ।
ଶରଣରକ୍ଷଣ….

ଦେଇଅଛ ଯାହା ଭୁଞ୍ଜୁଅଛି ତାହା
କର୍ମଫଳ ବୋଲି ମୋର
ରଖିଲେ ରଖିବ ପରାଣ ବାନ୍ଧବ
ମୁଁ ଯେ ମୂଢ଼ମତି ଛାର ।
କରୁଛି ଦୟିନୀ ମୁଁ ଯେ ହୀନିମାନୀ
ଉଦ୍ଧରିବା ଆଶା ଧରି ।
ଶରଣରକ୍ଷଣ….

କାହିଁ ଅଭିମାନ କରିଛ ଗୁମାନ
ଭାବରେ ଅଭାବୀ ମୁହିଁ
ଯାଉ ଦିନ ସରି କୃପା କର ହରି
ତୁମ ନାମ ଗାଇଗାଇ ।
ତୁମେ ନ ରଖିଲେ ହେବି ମୁଁ କାହାର
ପଡେ ପଦେ ଆଶ୍ରା କରି ।
ଶରଣରକ୍ଷଣ….

ବ୍ରହ୍ମପୁର, ଗଂଜାମ

ଦେଇଅଛ ଯାହା ଭୁଞ୍ଜୁଅଛି ତାହା