ତମେ ତ କାହାରି ନୁହଁ
…………………………………
ମୁଁ ଆଉ ମୁଁ ହୋଇ ନାହିଁ ,
ତମେ ଆଉ ତମେ ହୋଇ ନଥିବ ବୋଲି
ଜାଣିବାର ଆବଶ୍ୟକତା ବି ନାହିଁ !
ବହୁ ଦୂର ବୃନ୍ଦାବନ ଜାଣିବା ପରଠୁ
ଅବାଞ୍ଛିତ ଇଛା ସବୁ ଧୂଆଁ ହେଲେ,
ସୁନ୍ଥାର ସିନ୍ଦୂର
ଏବେ ଏବେ ବେଶି ଲାଲ୍ ହୋଇ
ତୁମେ ନଥିବାର ଶୂନ୍ୟ ସ୍ଥାନ ପୂର୍ଣ୍ଣ କଲେ ।
ତମେ ତ କାହାରି ନୁହଁ
ଅଥଚ
ଭିଡ଼ି ଓଟାରି ଆଣି ବାନ୍ଧି ଦିଅ କଦମ୍ବ ଡାଳରେ
ଆଶା ଆକାଂକ୍ଷାର ଭାଷା
ଯଦି ଶୁଭନ୍ତା କାନରେ
ତମେ ଗଢ଼ି ଥିବା ବିଶ୍ବ କେଡ଼େ ଛୋଟ
ବୁଝି ପାରନ୍ତ ତା’ପରେ ,
ହଜି ହଜି ଆସୁଥିବା ଲୋକଙ୍କ
ଅପେକ୍ଷା କରିବା ଅବା
ଦିହ ଘଷା ଜୀବନ ବେଳୁ ବେଳ
ଖସି ଖସି ଉଭେଇ ଯିବା ,
ଏପରି ଅଧୈର୍ଯ୍ୟ ଭାବ
ହୁଏତ ନୁଆଁ ନୁହେଁ
ତଥାପି ଯେବେ ଆସେ ସେ କ୍ଷଣ
ଖୁବ୍ ଗୋଟେ ପିଞ୍ଜରାକୁ ଖଣ୍ଡ କରିଦିଏ ।
ବଞ୍ଚିବାକୁ ହେବ ବୋଲି ଭାବି
ମରି ପାରୁ ନଥାଏ
କେହି କେବେ କେଉଁ କାଳେ ଶୁଣି ନଥିବା
ବିଜୁଳିର କାହାଣୀ କୁ ପଢ଼ୁଥାଏ ,
ସେ ଦିନରୁ ଆଉ ନାହିଁ
ଅସନ୍ତୋଷ ଅଭିମାନ କାହା ପ୍ରତି
ଆଶ୍ଚର୍ଯ୍ୟ
ଆପଣାର ପରିଚିତ ଗୁଡିକ ଏମିତି
ବେଳ ଦେଖି ବଦଳି ଯାଆନ୍ତି ..।
……………………………………..
ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ
ଖଲ୍ଲିକୋଟ …..ଗଞ୍ଜାମ