#ମୋହ
ମାଟିର ମୋହରେ ବରଷା ବରଷେ
ଆକାଶ ମୋହରେ ସୁରୁଜ ବି ଭାସେ
ନୁହେଁ ଏହା କାହାକୁ ଅଛପା,
ମଧୁର ମୋହରେ ମଧୁଦ୍ର ହସେ
ଫୁଲର ମୋହରେ ମଣିଷ ଯେ ମାତେ
ଏ ତ ଜୀବନ ବନର ଜପା ।
ମୋହର ମହକେ ସଂସାର ଝଟକେ
ଆଲୁଅ ମୋହରେ ଦୀପାଳି ଚମକେ
ରାତ୍ରୀ ମଂକୁର ଫୁଟାଏ ତାରା,
ମୋହର ଅନ୍ଧାରେ ନିଖୋଜ ଆଲୋକ
ମୋହର ଧନ୍ଦାରେ ମନ ମାନସାଙ୍କ
ରାଗ ଦ୍ୱେଷ ଦୁଃଖେ ଭରା ଭରା ।
ଦେହର ମୋହରେ ମନ ସାଜୁଥାଏ
ଆତ୍ମାର ମୋହରେ ବୁଦ୍ଧି ନାଚୁଥାଏ
ମୋହରେ ମାୟାର ଚିରଧାରା,
କବିତା ମୋହରେ କବି ରଚୁଥାଏ
ଶବ୍ଦର ସ୍ପନ୍ଦନେ ଅନୁଭବୁ ଥାଏ
ବାସ୍ତବତାର ନିତ୍ୟ ଫୁଆରା ।