ଶିଳାପଦ୍ମ
ଜ୍ୟୋତ୍ସ୍ନା ରାଣୀ ଦେବୀ
ପଦ୍ମପାତ୍ରରେ ଶିଳାର ଗାତ୍ରରେ କାହାର ନିହଣ ମୁଗୁର ବାଜି
ବିମୋହିତ କଲା ସମ୍ମୋହିତ କଳା ଜନମାନସର ନିଦ୍ରା ଭାଜି ।
ଶିଳ୍ପୀକୁଳର ମାନସକନ୍ୟା ସେ ମୁଗ୍ଧପରଶ କାହାର ପାଇ
ଲଳିତ ଭାସ୍କର୍ଯ୍ୟ ଅପରୂପା ଠାଣି ବିଶ୍ଵେ ଚକିତ କରିଲା ଯାଇ ।
କାହାକୁ ଦେଲା ସେ ଅଭିସାରିକାର ମହଣ ମହଣ ପୀରତି ବାଢି
ଶୃଙ୍ଗାର ରସରେ କା’ ତନୁଲତାରେ ରହିଲା ତ ସିଏ ନିରତେ ଜଡି ।
କାହାର ପ୍ରାଣର ବ୍ୟଥା ବେଦନାର କରୁଣରସକୁ ସତତ ଗାଇ
ଠିଆ ହେଲା ଚିର ଲୁଚାଇ ଦେଇ ତା ଅନ୍ତର କଥାକୁ କହିଲା ନାହିଁ ।
ଶିଳ୍ପୀକୁଳର ଲୋତକେ ଆଙ୍କିଲା କଜ୍ଜଳପାତ୍ରେ ତା’ ନୟନ ରଞ୍ଜି
ଲହୁରେ ପୁଣି ଯେ ପୁଟ ଦେଲା ଆଣି ଜମାଟ ବାନ୍ଧିଲା ବରଫ ସାଜି ।
କିଏ ସେ ଦେଖୁଛି ବୁକୁରେ ତାହାର କାମକଳା ସୂତ୍ର ମଧୁରଛନ୍ଦେ
କିଏ ସେ ଦେଖୁଛି ଶିଳ୍ପୀକୁଳର ବିଧୁରବେଦନା ନୟନବନ୍ଧେ ।
ମନ୍ଦିର ଆରାଧ୍ୟ ରହିଲେନି ସିନା କାହା ଅଭିଶାପ ମଥାରେ ଥାପି
ଛାଡି ଦେଇଗଲେ ଆସନ ଭୂଷଣ ଅର୍କକ୍ଷେତ୍ର କୀର୍ତ୍ତି ଭୁବନ ବ୍ୟାପି
ଉତ୍କଳ କଳାର ଚାରୁ ନିଦର୍ଶନ ଅମର ସ୍ଵାକ୍ଷର ବହନ କରି
ଦର୍ପିତଦେହା ସେ ଅର୍ଚ୍ଚନା ପାଇ ବିଶ୍ଵ ମାନସକୁ ନେଉଛି ହରି ।
ଅତୁଳ କୀର୍ତ୍ତି ହୁଏନାହିଁ ଗଢି ଯେଉଁଠି ରହିନି ଯାତନା ପୀଡା
ଶିଖର ସ୍ପର୍ଶି ପାରିନାହିଁ କେହି ଯେଉଁଠି ରହିନି ସଂଘର୍ଷ ବ୍ରୀଡା ।
ଶିଳ୍ପୀକୁଳର ବଳିଦାନ ଗାଥା ଶିଳାପଦ୍ମର ଛତ୍ରେଛତ୍ରେ
ଅବଗାହୁଥିବ ଧରମାର ଆତ୍ମା ଲୁହଲହୁ ଭରା ଜୀବନ ପାତ୍ରେ ।
ହିସାବ କିଏ ସେ ରଖିଛି କି କହ କେତେ ଯଉବନେ ଆସିଲା ଜରା
କ୍ଳାନ୍ତହୀନ କେତେ ଦିବା ରଜନୀର ବୁକୁଫଟା କ୍ଳେଶ ତନ୍ତ୍ରୀ ଥରା ।
ମାଟିରେ ମିଶାଇ ନିଜେ ସେ ନିଜକୁ ଗଢିଗଲା ଯେଉଁ ଶିଳା କମଳ
ଠିଆ ହୋଇ ଆଜି ବିଶ୍ଵେ ଦେଖାଏ ଉତ୍କଳ କଳାର ଆଭା ବିମଳ ।
ବ୍ରହ୍ମପୁର, ଗଂଜାମ