ଆସନ୍ତୁ ପଢିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଠ କବି ଶ୍ରୀଯୁକ୍ତ ସୀମାଞ୍ଚଳ ପଣ୍ଡାଙ୍କ ଚମତ୍କାର ସଜଲ ଶୈଳୀର କବିତା ___ବଇଁଶୀ ଖୋଜୁଛି ପାଉଁଜି ସ୍ଵର

*ବଇଁଶୀ ଖୋଜୁଛି ପାଉଁଜି ସ୍ୱର*
*************************
ସୀମାଞ୍ଚଳ ପଣ୍ଡା
***********
କୃଷ୍ଣ ବୃନ୍ଦାବନେ ବଇଁଶୀର ସ୍ୱନେ ଡାକି ରାଧେ ରାଧେ ହୁଅନ୍ତି ଝୁରି,
ବଇଁଶୀ ବାଦନ ପାଉଁଜିର ସ୍ୱନ ଖୋଜଇ ବସନ୍ତ ସଙ୍ଗତେ ଘୂରି!

ଏକା ଏକା ଲାଗେ କୁଞ୍ଜବନ ରାଗେ ରାଧା ବିନା ବାଧା ଯାଉଛି ବଳି,
ପ୍ରେମର ଭୁବନ ଲାଗେ ରସ ଶୂନ୍ୟ କୃଷ୍ଣ ମୁଖ ଝଳି ପଡ଼େ ମଉଳି,
ରୁଣୁଝୁଣୁ ଶବ୍ଦ ନାହିଁ ବେଣୁ ନାଦ ମଜା ନାହିଁ ସଜା ଭୋଗେ ଯେପରି,
କୃଷ୍ଣ ବୃନ୍ଦାବନେ ବଇଁଶୀର ସ୍ୱନେ ଖୋଜଇ ବସନ୍ତ ସଙ୍ଗତେ ଘୂରି ।

କାହିଁ ଗଲେ ରାଧା ହଜାଇ ଶରଧା ବିରହ ରାଗରେ ବଁଇଶୀ ସ୍ୱନ,
କି ବିଚାରି ମନେ ରାଇକୁ ବାହୁନେ ଅଶାନ୍ତେ ଅଧୀର ହୁଏ ତା ମନ!

ଘରେ କଟକଣା କରେ ବାଟବଣା ରାଧା ଘରେ ଆଜି ଲାଗିଛି କଳି,
କୃଷ୍ଣ ପ୍ରେମ ପାଇଁ କୁଳ ବଧୁ ହୋଇ କୂଳ‌ ହୁଡ଼ି ବଢ଼ି ଗଲାଣି ବଳି,
ଆଉଜି ଗଲାଣି ପାଉଁଜି କି ଭଳି ହଜାଇ ଦେଲାଣି ସମ୍ପଦ ଶିରୀ,
ବଇଁଶୀ ବାଦନ ପାଉଁଜିର ସ୍ୱନ ଖୋଜଇ ବସନ୍ତ ସଙ୍ଗତେ ଘୂରି ।

ପ୍ରେମର ସଙ୍ଗୀତ ଗାଉଛି ବସନ୍ତ ଖୋଜଇ ସଙ୍ଗାତ ମୋହନ ବଂଶୀ,
ପାଉଁଜିର ସ୍ୱର ଅଭାବେ ଅନ୍ତର ଖୋଜେ ରାଧା ବିନା ହଜଇ ଖୁସି!

*************************
ଡେଙ୍ଗାଡି, ଗଞ୍ଜାମ, ୯୫୮୩୪୩୮୧୭୪